ଶିଳା ଖଣ୍ଡକରେ ଗଢ଼ା ଶିଳ ମୋର ନାମ,
ବଟାବଟି ପେଷା ଛେଚା ଅଟେ ମୋର କାମ।
ଚତୁର୍ଭୁଜାକାର ଦେହ ରଖାଥାଏ ତଳେ,
ବତ୍ତୁର୍ଳାକାର ପୁଆଟି ମୋ ଉପରେ ଚଳେ।
ଓଡ଼ିଆଣୀ ସରାଗରେ ଧୁଆ ପୋଛା କରି,
ବଟା ଛେଚା କରେ ପୁଆ ଦୁଇ ମୁଣ୍ଡ ଧରି।
ଦୁଇ ହାତେ ମାଂଶପେଶୀ ଚଳୁଥାଏ ଯେଣୁ,
ପେଶୀବିନ୍ଧା ରୋଗେ କେବେ ନପଡ଼ଇ ତେଣୁ।
ବିଭା, ବ୍ରତ ଆଦି ଯେତେ ମଙ୍ଗଳ କାମରେ,
ସଜାନ୍ତି ନାରୀଏ ମତେ କଜ୍ଜଳ ସିନ୍ଦୂରେ।
ବାଟି ଚାଉଳ, ଶୋରିଷ, ହଳଦୀ ଓ ବିରି,
ବାଟଣ ପିଠଉମାନ କରନ୍ତି ତିଆରି।
ବାହାବେଦୀପରେ ବର ମୋ ଉପରେ ବସେ,
ବିଧି ଅଳତାସିନ୍ଦୂର କାମଟି ବିଶେଷେ।
ବାଟଓଷା ପନ୍ଥେଇରେ ପୂଜା ପାଏ ପୁଆ,
ଦେହେ ଘେନି ଫୁଲ, ଧୂପ ହଳଦୀ ଓ ଚୁଆ।
ବାଡ଼ୁଅପାଣି ଗାଧୁଆ ବେଳେ ପୁଆଛେଚା,
ସୀମନ୍ତିନୀ ମଙ୍ଗଳଣ ହୁଳହୁଳି ଆଛା।
ଗ୍ରାଇଣ୍ଡର୍ ଆସିବାରୁ ଅଲୋଡ଼ା ଯେ ଶିଳ,
ଆବୋରିଚି ଆସି ଦୁଃଖେ ତେଣୁ ମିଶ୍ରଶାଳ ।
ମିଶ୍ରଶାଳ, ମଧୁପାଟଣା,କଟକ
ଶାଳକାର- ଡକ୍ଟର ଅଜୟ କୁମାର ମିଶ୍ର
ସ୍ମୃତିର ସନ୍ତକ.
ReplyDeleteସୃଜନର ଏ ଅନନ୍ୟ ରୂପାଙ୍କନ ପାଇଁ ଆପଣଂକୁ ଅସୁମାରି ଶୁଭେଚ୍ଛା ଓ ଅଭିନନ୍ଦନ .
@ଆର୍ଯ୍ୟକୁମାର ହର୍ଷବର୍ଦ୍ଧନ
Fabulous
ReplyDeleteମିଶ୍ରଶାଳରେ ଶିଳ ଓ ଶିଳୁପୁଆକୁ ଦେଖି ବହୁତ ଖୁସି ଲାଗିଲା। ଶାଳକାର ମିଶ୍ର ଭାଇନାଙ୍କୁ ପ୍ରଣାମ।
ReplyDelete