ଚଉରା ଚୌପାଖେ ଚଉଖୁଣ୍ଟ ପୋତି
ଛାମୁଡିଆଟିଏ କରି
ଛାମୁଡିଆତଳେ ଓହଳା ଥାଏଟି
ଶିକାଟାରେ କଣାଘଡି
ପାଣି ଢାଳିଲେ ଘଡିରେ
କଣାରୁ ନିଗିଡି ବୁନ୍ଦା ବୁନ୍ଦା ହେଇ
ତୁଳସୀ ମୂଳରେ ପଡେ।।
ବଇଶାଖ ମାସେ ତପନ ତାପରେ
ତପତ ହୁଅଇ ଧରା
ପଣା ସଂକ୍ରାନ୍ତିରେ ଚଉରା ଉପରେ
ଟଙ୍ଗା ତେଣୁ ବସନ୍ତରା
ପଣାଭୋଗ ତହିଁ ଲାଗେ
ବୃନ୍ଦାବତୀ ପାଶେ ମୁଣ୍ଡିଆ ମାରିକି
କେ କେତେ ମନାସ ମାଗେ।।
ସୂରୁଯଙ୍କ କ୍ରାନ୍ତି ପଣା ସଂକରାନ୍ତି
ଓଡିଆ ନବ ବରଷ
ମନ ଆନନ୍ଦରେ ପାଳି ଓଡିଆଏ
ପଣାପାଣିରେ ସନ୍ତୋଷ
ଦେବ ଦେବୀ ଦରଶନେ
ରାଷ୍ଟ୍ରର ମଙ୍ଗଳ ମନାସନ୍ତି ପରା
ଅତି ଉଲ୍ଲସିତ ମନେ।।
ଛତ୍ରପଡିଆରେ ଘଟପାଟୁଆ ଲୋ
ଝାମୁଯାତ୍ରା କେତେ ଵାଗେ
କେ କଣ୍ଟା ଉପରେ, ଚାଲନ୍ତି ଅଵା କେ
ଦଉଡନ୍ତି ନିଆଁମାର୍ଗେ
ସେଦିନ କଥା ସୁମରି
ମିଶ୍ରଙ୍କଶାଳରେ ଆସି ବସିଅଛି
ଛୋଟ ଵସନ୍ତରା ଘଡି ।।।।
ମିଶ୍ରଶାଳ, ମଧୁପାଟଣା, କଟକ।
ଶାଳକାର - ଡକ୍ଟର ଅଜୟ ମିଶ୍ର ।।

ଓଡିଆ ପର୍ବ ପର୍ବାଣି , ଭାବଧାରା, ଧାର୍ମିକ ଚିନ୍ତା ଚେତନା ଓ ଚାଲି -ଚଳନୀ ର "ମିଶ୍ରଶାଳ" ଏକ ଅନବଦ୍ୟ ପରିପ୍ରକାଶ । ଏହାର ଉତ୍ତରୋତ୍ତର ମଙ୍ଗଳ କାମନା କରିବା ସହିତ "ଶାଳକାର "ଙ୍କ ନିଷ୍ଠା ଓ ପରିଶ୍ରମ କୁ ସାଧୁବାଦ ଜଣାଉଛି ।
ReplyDelete:- ପବିତ୍ର ପଟ୍ଟନାୟକ ।